Listen

Description

x......x

ସକାଳଠୁଁ ମୁଁ ଅନୁଭବ କରୁଥିଲି ବିଚିତ୍ର ଶିହରଣ । ପରିଣତ ବୟସରେ ଅଚାନକ ଥରେ ଥରେ ଦମକାଏ ପବନର ସ୍ପର୍ଶରେ ଅଥବା କୌଣସି ପୁଷ୍ପଗୁଚ୍ଛର ବାସ୍ନାରେ ଅହେତୁକୀ ଭାବରେ ବହୁ ହୃତ ବସନ୍ତର ସ୍ମୃତି ଆସି ଚେତନାକୁ ଦୋହଲାଇଦେଲେ- ମୁହୁର୍ତ୍ତକ ପାଇଁ ଯେମିତି ଲାଗିଛି, ସେଦିନ ସାରା ସକାଳଓଳି ଯାକ ହୃଦୟରେ ସେହିଭଳି ଉତ୍‌ଫୁଲ୍ଲ ଆଲୋଡ଼ନ ଅନୁଭବ କରିଥିଲି ।

ପାହାଡ଼ ଶୀର୍ଷକୁ ଇତିପୂର୍ବେ ଥରେ ଦୁଇଥର ମାତ୍ର ଯିବାର ସୁଯୋଗ ଘଟିଥିଲା- କହିବା ବାହୁଲ୍ୟ, ବଡ଼ମଣିଷଙ୍କ ତତ୍ବାବଧାନରେ, ସେମାନଙ୍କ ଦୟାରେ । ବିନା ଅଭିଭାବକରେ, ଆପଣା ସାହସ, ଅନୁସନ୍ଧିତ୍ସା ଓ ଆନନ୍ଦର ପ୍ରେରଣାରେ ସେହି ନିଷିଦ୍ଧ ଅଞ୍ଚଳକୁ ଯିବାର ପ୍ରସ୍ତୁତି ଆମ ନିଜ ନିଜ ଜୀବନର କ୍ରମବିକାଶ ଧାରାରେ ଥିଲା ଏକ ପ୍ରଚଣ୍ଡ ଘଟଣା । ଲିଲିର ଅମୂଲ୍ୟ ସାହଚର୍ଯ୍ୟ ଯୋଗୁଁ ହୋଇନଥିଲେ ସେଭଳି ପଦକ୍ଷେପ ଆମେ ନେଇପାରିନଥାନ୍ତୁ ।

ସହରର ସୁଷମ ପଥ ଘାଟ ପ୍ରତି ଅଭ୍ୟସ୍ତ ଲିଲିକୁ ଆମ ସହ ତାଳଦେଇ ଚାଲିବାକୁ ନିଶ୍ଚୟ ବହୁତ ଅସୁବିଧା ଲାଗିଥିବ; କିନ୍ତୁ ସେ ଅବିଚଳିତ ଭାବରେ ସବୁ ସହିନେଉଥାଏ । ଥରେ ମଧ୍ୟ ଅଭିଯୋଗ କରିନାହିଁ, ଏପରିକି ପାହାଡ଼ ଚଢ଼ିବାବେଳେ ମଧ୍ୟ ନୁହେଁ ।

x......x

ମଝିରେ ଲିଲି ଖଣ୍ଡିଏ ପଥର ଉପରେ ବସିପଡ଼ି କମଳା ଛଡ଼ାଇ ଆମକୁ ଦେଇଥିଲା ଓ ନିଜେ ଖାଇଥିଲା । ଆମକୁ ଶୁଣାଇଥିଲା ରବିନ୍‌ସନ୍ କ୍ରୁଶୋର କାହାଣୀ । ସେଭଳି କାହାଣୀ ଆମେ କେହି କେବେ ଶୁଣିନଥିଲୁ । ଅତଏବ ହଟୁ ମଧ୍ୟ ନିଜର ବାଚାଳତା ସମ୍ବରଣ କରି ସୁବୋଧ ଭାବରେ ସେ କାହାଣୀ ଶୁଣିଥୁଲା । ତା'ପରେ ଲିଲି ଶୁଣାଇଲା ଆହୁରି ଏକାଧିକ କାହାଣୀ - ଦୁଃସାହସିକ ଅଭିଯାନ, ଆବିଷ୍କାର ଓ ରହସ୍ୟର କାହାଣୀ ।

ସୁଲୁସୁଲୁ ପବନ ବହୁଥିଲା । ଆମେ ଜାଣିନଥିଲୁଁ ଥରେ ଥରେ ସୁଯୋଗ ଉଣ୍ଡି ସମୟ କେଡ଼େ କ୍ଷୀପ୍ରଗତିରେ ପଳାଇଯାଏ । ଯେତେବେଳେ ଆମେ ଶୀର୍ଷକୁ ଉଠିଗଲୁ, ସେତେବେଳେ ସୂର୍ଯ୍ୟାସ୍ତ ପାଇଁ ବିଶେଷ ବିଳମ୍ବ ନଥିଲା ।

କିନ୍ତୁ ସୂର୍ଯ୍ୟ, ମନେହେଲା, ଯେମିତି ଆତଙ୍କିତ ଦିଶୁଥିଲେ । ଚତୁର୍ଦ୍ଦିଗରୁ ମେଘ ଘୋଟି ଆସୁଥିଲା । ନିଜର କ୍ରମ-ସ୍ତମିତ ଦ୍ୟୁତି ନେଇ ଅନ୍ଧକାରର ସେ ସୁଦୃଢ଼ ଆକ୍ରମଣକୁ ରୋକିବାକୁ ଅକ୍ଷମ ବୋଲି ହୁଏତ ସେ ସେପରି ଦିଶୁଥିଲେ ।

x......x

-“ଧୂମାଭ ଦିଗନ୍ତ”- ଶ୍ରୀ ମନୋଜ ଦାସ (ପଞ୍ଚମ ପରିଚ୍ଛେଦ)